କରୋନା ଟୀକା ଯୋଗାଣ ପାଇଁ ଭାରତକୁ ୧୨ଟି ରାଷ୍ଟ୍ରର ଆବେଦନ
୨୧/୧୨,(ବ୍ୟୁରୋ ନ୍ୟୁଜ୍)
ସ୍ଵର ଦି ଭଏସ୍
ନୂଆଦିଲ୍ଲୀ: ‘ନୀତି’ ଆୟୋଗ ସଭ୍ୟ ଭିକେ ପଲ ମନ୍ତ୍ରୀ ସମୂହ ବୈଠକରେ ଯୋଗ ଦେଇ କୋରୋନା ଟିକା ପ୍ରସ୍ତୁତି ଓ ଟିକାକରଣ ବାବଦରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଇଛନ୍ତି। ସେ ମନ୍ତ୍ରୀ ସମୂହ ବୈଠକରେ କହିଛନ୍ତି ଯେ, ଏଯାବତ ୧୨ଟି ରାଷ୍ଟ୍ର ଆମକୁ କୋରୋନା ଟିକା ଯୋଗାଇ ଦେବାକୁ ଆବେଦନ କରି ସାରିଲେଣି। ମାତ୍ର କେଉଁ କେଉଁ ଦେଶ କୋରୋନା ଟିକା ପାଇବା ପାଇଁ ଆବେଦନ କରିଛନ୍ତି, ସେ ସେମାନଙ୍କର ନାମ ପ୍ରକାଶ କରି ନାହାନ୍ତି। କିପରି ଭାବେ ଦେଶରେ କୋରୋନା ଟିକା ଡେଭଲପ କରାଯାଉଛି ଓ ଏହା କେଉଁ ପର୍ଯ୍ୟାୟରେ ପହଞ୍ଚି ସାରିଲାଣି ତାହା ଉପରେ ମତ ଦେଇଛନ୍ତି। ଟିକା ଆସିବା ମାତ୍ରେ ଦେଶର ପ୍ରାୟ ୩୦ କୋଟି ଲୋକଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ଟିକା ଦିଆଯିବା ନେଇ ପ୍ରସ୍ତୁତି ଚାଲିଥିବା ସେ ପ୍ରକାଶ କରିଛନ୍ତି।
କୋଭିଡ ଟିକାକରଣ ନେଇ ଗଠନ ହୋଇଥିବା ଜାତୀୟ ବିଶେଷଜ୍ଞ ଟିମର ମୁଖ୍ୟ ଭାବେ ଡାକ୍ତର ପଲ କାର୍ଯ୍ୟ କରୁଥିବାରୁ ତାଙ୍କ ଉପରେ ଗୁରୁଦାୟିତ୍ବ ରହିଛି। ତାଙ୍କ ସୂଚନାନୁସାରେ ପ୍ରଥମ ପର୍ଯ୍ୟାୟରେ ଦେଶର ୧ କୋଟି ସ୍ବାସ୍ଥ୍ୟକର୍ମୀ ଟିକା ନେବେ। ଏହାବାଦ କୋରୋନା ମୁକାବିଲାରେ ଆଗଧାଡ଼ିର ୨ କୋଟି କୋରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବ। ଏଥିସହ ୫୦ ବର୍ଷରୁ ଊର୍ଦ୍ଧ୍ବ ଓ ଅନ୍ୟାନ୍ୟ ଦୁରାରୋଗ୍ୟ ଥିବା ୨୭ କୋଟି ଲୋକଙ୍କୁ ମଧ୍ୟ ପ୍ରଥମ ପର୍ଯ୍ୟାୟ ଟିକାକରଣରେ ସାମିଲ କରିବା ପାଇଁ ଯୋଜନା ରହିଛି ବୋଲି ଡାକ୍ତର ପଲ ମନ୍ତ୍ରିସ୍ତରୀୟ ବୈଠକରେ ଅବଗତ କରାଇଛନ୍ତି।