ଦିଦିଙ୍କ ଗଡରେ ଶାହାଙ୍କ ରଣ ହୁଙ୍କାର
୧୯/୧୨, ବ୍ୟୁରୋ ନ୍ୟୁଜ୍(ସ୍ଵର ଦି ଭଏସ୍) ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ ଅମିତ୍ ଶାହା । ଦିଦିଙ୍କ ଗଡରେ ଅମିତ୍ ଶାହା ମମତାଙ୍କ ଉପରେ ବର୍ଷିଛନ୍ତି । ମେଦିନାପୁରଠାରେ ହୋଇଥିବା ବିଜେପି ରାଲିରେ ଆଜି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଟିଏମ୍ସିର ଟାଣୁଆ ନେତା ଥିବା ଶୁଭେନ୍ଦୁ ଅଧିକାରୀ ଆଜି ବିଧିବଦ୍ଧ ଭାବେ ବିଜେପିର ହାତ ଧରିଛନ୍ତି । ଶାହାଙ୍କ ଏହି ମେଦିନାପୁର ରାଲି ଅବସରରେ ୧୧ ଜଣ ନେତା ବିଜେପି ହାତ ଧରିଛନ୍ତି । ଦୀର୍ଘ ସମୟ ଧରି ଟିଏମ୍ସିର ବିଶ୍ବସ୍ତ ନେତା ଥିବା ଶୁଭେନ୍ଦୁ ଅଧିକାରୀ ବିଜେପିରେ ଯୋଗଦେଇଛନ୍ତି । ତାଙ୍କ ବ୍ୟତୀତ ଟିଏମ୍ସି ସାଂସଦ ସୁନୀଲ୍ ମଣ୍ଡଳ ମଧ୍ୟ ବିଜେପିର ହାତ ଧରିଛନ୍ତି । କଂଗ୍ରେସ ଓ ବାମ ଦଳର ପ୍ରାୟ ଦଶଜଣ ଅନ୍ୟ ବିଧାୟକମାନେ ମଧ୍ୟ ବିଜେପିରେ ସାମିଲ୍ ହୋଇଛନ୍ତି ।
ଅନ୍ୟପଟେ ବିଜେପିରେ ମିଶିବା ପରେ ମମତାଙ୍କୁ ଟାର୍ଗେଟ କରିଛନ୍ତି ଶୁଭେନ୍ଦୁ। ତେବେ ବଙ୍ଗ ଦଖଲ ପାଇଁ ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଗତ ବିଳମ୍ବିତ ରାତିରେ ସେ ପଶ୍ଚିମବଙ୍ଗରେ ପହଞ୍ଚିଥିଲେ ଓ ଆଜି ମେଦିନାପୁରରେ ଅନ୍ୟ ନେତାମାନଙ୍କ ସହିତ ଜଣେ ଚାଷୀଙ୍କ ଘରେ ଭୋଜନ କରିଥିଲେ ଶାହ। ଏହି ଅବସରର ଶାହା କହିଛନ୍ତି ଯେ, ନିର୍ବାଚନ ବେଳକୁ ମମତା ଏକାକୀ ରହିଯାଇଥିବେ।