ବିଶ୍ୱ ଜୀବନର ଗତି କୁଆଡେ 

0
233

ସମ୍ପାଦକୀୟ…… (1st week of December)

ବିଶ୍ୱ ଜୀବନର ଗତି କୁଆଡେ !

ବର୍ତ୍ତମାନ ବିଶ୍ୱ ଏକ ବିଶେଷ ସମୟ ମଧ୍ୟଦେଇ ଗତି କରୁଛି । ଏକବିଂଶ ଶତାବ୍ଦୀ ନିଜ ସହ ଆଣି ଆସିଛି ଅନେକ ବିଭୀଷିକା । ବିଗତ ଦୁଇ ଦଶନ୍ଧିରେ ବିଶ୍ୱର ରାଜନୈତିକ ବାତାବରଣରେ,ପରସ୍ପର ମଧ୍ୟରେ ବ୍ୟବହାର କ୍ଷେତ୍ରରେ, ସାମାଜିକ ପରିବେଶରେ ଯେଉଁ ପରିବର୍ତ୍ତନ ଦେଖିବାକୁ ମିଳୁଛି, ତାହା କୌଣସି ଭୟାବହ ସମ୍ଭାବନାର ପ୍ରତୀକ ବୋଲି ମନେହୁଏ ।ଇତିହାସକୁ ବଦଳେଇଦେବା ଭଳି ଘଟଣାକ୍ରମ ସଂଘଟିତ ହେଉଛି । ପୁରାତନ ଯୁଗ ବୋଲି ଯାହା ଆମ୍ଭେ ଜାଣୁ ,ତାହା ଏତେ ବିଶାଳ ନଥିଲା । ଭୌତିକ ବିଜ୍ଞାନ ନିକଟରେ ଏତେ ସମ୍ବନ୍ଧ ମଧ୍ୟ ନଥିଲା । ସ୍ୱଳ୍ପ ଜନସଂଖ୍ୟା, ସୀମିତ ଯାତାୟାତ ଏପରିକି ବିଚାରର ପ୍ରବାହ ସ୍ୱଳ୍ପସଂଖ୍ୟକ ବ୍ୟକ୍ତିଙ୍କ ନିକଟରେ ପହଞ୍ଚି ପାରୁଥିଲା । ଏବେ ସେ ଅବସ୍ଥା ବଦଳି ଯାଇଛି ।ପରିବର୍ତ୍ତନର ପରିଧି ମଧ୍ୟ ବିସ୍ତୃତ ହେବାରେ ଲାଗିଛି । ଆଲୋଡ଼ନମୟ ବିଶ୍ୱବ୍ୟାପ୍ତ ଘଟଣାବଳୀ ଏବେ ଆଉ ଅଜଣା ଅଛପା ନୁହେଁ । ଆଜିର ବୁଦ୍ଧିଜୀବୀ ,ବୈଜ୍ଞାନିକ ,ସମାଜ ଶାସ୍ତ୍ରୀ ଓ ରାଷ୍ଟ୍ରବାଦୀମାନେ ନିଜର ଅନୁଭୂତ ପ୍ରଜ୍ଞା ଆଧାରରେ ସମ୍ମିଳିତ ସ୍ୱରରେ ଯେଉଁ ସତର୍କ ଉଦଘୋଷ କରୁଛନ୍ତି ତାହା ହେଉଛି, ‘ ସମ୍ପ୍ରତି ବିଶ୍ଵଜୀବନ ଯେଉଁ ପଥରେ ଅଗ୍ରସର ହେଉଛି, ତାହା ଅନୁଚିତ।’

ଅଧୁନା ତ୍ରୁଟିପୂର୍ଣ୍ଣ ବିଭେଦକାରୀ ନୀତି ହେତୁ କେଇ ବର୍ଷ ସମୟର ବ୍ୟବଧାନରେ ସୃଷ୍ଟି ହେଉଛି ଗୋଟିଏ ଗୋଟିଏ ଭୟଙ୍କର ମହାଯୁଦ୍ଧ ।ଫଳତଃ ଧନଜୀବନ ଉତ୍ତରୋତ୍ତର କ୍ଷତିଗ୍ରସ୍ତ ହେବାରେ ଲାଗିଛି । ବିକାଶ ପଥରେ ଅଗ୍ରସର ହେବା ପରିବର୍ତ୍ତେ ମାନବିକତାର ମୂଲ୍ୟବୋଧ ପତନ ପଥରେ ଧାଇଁଛି ।ଏହି ଗୋଷ୍ଠୀଗତ ବିଚାରଧାରା ଜନଜୀବନକୁ ଅଶାନ୍ତ, ଜଟିଳ ଉଦବିଗ୍ନ କରି ରୋଗ ଶୋକର କାରଣ ଉତ୍ପନ୍ନ କରୁଛି । ଏଭଳି ପରିସ୍ଥିତି ବଳବତ୍ତର ରହିଲେ ସଂସାର ମନୁଷ୍ୟର ବାସ ଉପଯୋଗୀ ହୋଇ ରହିବ ନାହିଁ । ମନୁଷ୍ୟ ଜାତି ଆପଣା ଭିତରେ ଲଢ଼ି,ମରି ଶେଷ ହୋଇଯିବେ ।

ବିଶ୍ୱର ସୁକ୍ଷ୍ମ ପରିସ୍ଥିତି ଅନୁଧ୍ୟାନ କରୁଥିବା ମାର୍ଗଦର୍ଶକ ମାନଙ୍କ ମତରେ, ଏ ପ୍ରକାର ପୃଷ୍ଠଭୂମିରେ ଅବାଞ୍ଛନୀୟ ପରିସ୍ଥିତିକୁ ବଦଳାଇ ଯୁଗ ପରିବର୍ତନ କରି ପାରୁଥିବା ଐଶୀ ଶକ୍ତିଙ୍କ ପ୍ରେରଣା କାମ କରୁଛି ।ସେମାନଙ୍କ ବକ୍ତବ୍ୟହେଉଛି – “ମନୁଷ୍ୟ ନିଜର ଗତିବିଧିକୁ ନିୟନ୍ତ୍ରଣ କରିବାରେ ଚେତନାଶୀଳ ହେବା ନିମନ୍ତେ ବିନାଶର ପୂର୍ବ ଭୂମିକା ସୃଷ୍ଟି ହୋଇଛି । ବର୍ତ୍ତମାନ ଯେଉଁ ସମୟ ଆସୁଛି , ସେଥିରେ ଔଦ୍ଧତ୍ୟ ଓ ଅନୀତି ଦୈବ ଦଣ୍ଡର ନିର୍ମମ ପ୍ରହାର ସହ୍ୟ କରିବ ଏବଂ ନୀତି ଓ ଆଦର୍ଶ ଉପଯୁକ୍ତ ସମର୍ଥନ ପ୍ରାପ୍ତ ହେବ ।ସାମାନ୍ୟ କେତେକ ବ୍ୟକ୍ତି ମହାକାଳଙ୍କ ପ୍ରେରଣାରେ ଏହି ଯୁଗ ଧର୍ମର ସଂଗ୍ରାମରେ ଯୋଗଦେଇ ଯୁଗ କ୍ରାନ୍ତି ସମ୍ପନ୍ନ କରିବେ ।”

ତେବେ ସମୟ ଧାରାରେ ଏହି ସଂହାର ଲୀଳା ମାନବ ଜାତିକୁ ନିଜର କାର୍ଯ୍ୟକଳାପ ସଂଶୋଧନ କରିବା ପାଇଁ , ନିଜର ସଂକୀର୍ଣ୍ଣ ଓ ସ୍ୱାର୍ଥପ୍ରଣୋଦିତ ଚିନ୍ତାଧାରା ବଦଳାଇବା ପାଇଁ ତଥା ବାତାବରଣରେ ପରିବ୍ୟାପ୍ତ ଆସୁରୀ ବୃତ୍ତି ଦୂରୀକରଣ ପାଇଁ ସଚେତ କରି ଦେଇଛି ।ମନୁଷ୍ୟର ପ୍ରକୃତି ଓ ପ୍ରବୃତ୍ତି ସୂକ୍ଷ୍ମଜଗତକୁ ପ୍ରଭାବିତ କରୁଛି । ଋତୁର କ୍ରମ ପରିବର୍ତ୍ତନ .ପ୍ରକୃତିର ବିରୁଦ୍ଧରେ ଚଳନ , ଶାରୀରିକ ଓ ମାନସିକ ରୋଗର ଅଭିବୃଦ୍ଧି ସୂଚନା ଦେଉଛି ଯେ, ସୌଜନ୍ୟ ଏବେ ଧରଣୀ ବକ୍ଷରୁ ବିଦାୟ ନେଇଛି ।ଯଦି ଦୁଷ୍ଟତା, ଦୁର୍ବୁଦ୍ଧି ଓ କୁକର୍ମର ନିକିତି ଏମିତି ଓଜନିଆ ହୋଇ ରହେ ,ତେବେ ବାହ୍ୟ ପ୍ରକୃତି ଉପରେ ଏହାର ପ୍ରତିକ୍ରିୟା ବଳବତ୍ତର ରହିବ ।ପରିଣାମତଃ, ଦୁର୍ଭିକ୍ଷ, ମହାମାରୀ , ମହାବାତ୍ୟା ,ଜଳପ୍ଲାବନ, ଭୂମିକମ୍ପ , ଅତିବୃଷ୍ଟିର କ୍ରମ ଓ ମାତ୍ରା ବୃଦ୍ଧି ପାଇବା ସୁନିଶ୍ଚିତ ।

ବର୍ତ୍ତମାନର ସମୟ ଅତି ବିଷମ, ତଥାପି ଏବେ ମଧ୍ୟ ମନୁଷ୍ୟ ହାତରେ ସବୁ ରହିଛି ।ତେଣୁ ନିୟନ୍ତ୍ରଣ କରାଯିବା ସମ୍ଭବ ।ମାତ୍ର ସମୟ ବିତିଗଲେ ମାନବତାର ଲଗାମ ଚାଲିଯିବ ସୈତାନର ହାତକୁ ଆଉ ପରିଣାମ ହୋଇଯିବ ବିଷମୟ । ଯଦି ଏହି ବିଷମ ବେଳାରେ ନିଜକୁ ଅଧିକ ଜାଗ୍ରତ କରାଯାଇ ପାରେ ଓ ତଦନୁରୂପ ନିୟନ୍ତ୍ରଣ ପାଇଁ ସକ୍ରିୟ ହୋଇ ପାରିଲେ ହୁଏତ ଧୀରେ ଧୀରେ ବିପଦରୁ ବର୍ତ୍ତି ଯାଇପାରିବା ।

ପ୍ରଦୀପ୍ତ ତ୍ରିପାଠୀ, ମୁଖ୍ୟ ସମ୍ପାଦକ(‘ସ୍ୱର ଦି ଭଏସ’ ଦ୍ୱିଭାଷିକ ସାପ୍ତାହିକ ସମ୍ବାଦ ପତ୍ର)

LEAVE A REPLY

Please enter your comment!
Please enter your name here