ଭାରତ-ଇରାନ ସମ୍ପର୍କ
ଭାରତ ସ୍ୱାଧୀନ ହେବା ଦିନରୁ ସର୍ବଦା ପଶ୍ଚିମ ଏସିଆ ଓ ମଧ୍ଯପ୍ରାଚ୍ଯର ଦେଶଗୁଡିକ ସହ ସୁସମ୍ପର୍କ ସ୍ଥାପନ କରିଆସିଛି | ମଧ୍ଯପ୍ରାଚ୍ୟର ତିନି ବୃହତ ଶକ୍ତି ସାଉଦି ଆରବ, ଇରାନ ଓ ଇଜରାଇଲ ସହ ଭାରତର ସମ୍ପର୍କ ବହୁ ପୁରାତନ ଓ ନିବଡ଼ | କିନ୍ତୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପଙ୍କ ଶାସନ ଅବଧିରେ ଭାରତ ଓ ଇରାନ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିବା ବେଳେ ଉଭୟ ଇଜରାଇଲ ଓ ସାଉଦି ଆରବ ମଧ୍ଯରେ ଘନିଷ୍ଠତା ବଢିଛି | ଆଜି ଆମର ଆଲୋଚନାର ବିଷୟ ଇରାନ ସହ ସୁସମ୍ପର୍କ ଆମ ପାଇଁ ଫଳପ୍ରଦ ନା କୁସମ୍ପର୍କ |
୨୦୧୭ ମସିହାରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ ଇରାନ ବିରୋଧୀ ଆଭିମୁଖ୍ଯ ପୋଷଣ କରିଥିଲେ ଏବଂ ଇରାନ ବିରୋଧରେ ବହୁଳ ଚାପ ନୀତି ଆପଣାଇଥିଲେ | ଟ୍ରମ୍ପଙ୍କ ଇରାନ ବିରୋଧୀ ଆଭିମୁଖ୍ଯର ପ୍ରମୁଖ କାରଣ ହେଉଛି ସାଉଦି ଆରବ | କାରଣ ସାଉଦି ଆରବ ଓ ଇରାନ ଦୁହେଁ ପାରମ୍ପରିକ ଶତ୍ରୁ, ଉଭୟଙ୍କ ମଧ୍ଯରେ ସିୟା ଓ ସୁନ୍ନି ମୁସଲମାନ ସମସ୍ଯା ଏବଂ ଉଭୟ ମଧ୍ଯପ୍ରାଚ୍ୟରେ ନିଜ ଆଭିବୃଦ୍ଧି କରିବା ପାଇଁଇ ଇଚ୍ଛୁକ | ଆମେରିକାର ପ୍ରମୁଖ ସହଯୋଗୀ ରାଷ୍ଟ୍ରଗୁଡିକ ମଧ୍ଯରେ ସାଉଦି ଆରବ ଅନ୍ଯତମ; ଏଣୁ ସାଉଦି ଆରବ ସହ ଆମେରିକାର ସମ୍ପର୍କ ଦୃଢ଼ କରିବା ପାଇଁ ଟ୍ରମ୍ପ ଉରାନକୁ ଟାର୍ଗେଟ କରିଥିଲେ | ଟ୍ରମ୍ପ ଇରାନ ବିରୋଧରେ ଆର୍ଥିକ ପ୍ରତିବନ୍ଧକ ଲଗାଇବା ସହ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଦ୍ୱାରା ସ୍ୱାକ୍ଷରିତ ଇରାନ ଆଣବିକ ଚୁକ୍ତିରୁ ଆମେରିକାକୁ ବାଦ ଦେଇଥିଲେ | ଟ୍ରମ୍ପ ପ୍ରଶାସନ ଆମେରିକାର ଅନ୍ଯ ସମସ୍ତ ସହଯୋଗୀ ଦେଶଗୁଡ଼ିକୁ ଇରାନ ସହ ସମ୍ପର୍କ ଛିନ୍ନ କରିବା ପାଇଁଇ ବାଧ୍ଯ କରିଥିଲେ | ସେହିପରି ଭାରତ ମଧ୍ଯ ୨୦୧୪ ମସିହା ପରେ ଋଷ ପରିବର୍ତ୍ତେ ଆମେରିକା ସହ ଉଭୟ କୂଟନୈତିକ ଓ ରାଜନୈତିକ ସମ୍ପର୍କକୁ ଗୁରୁତ୍ୱ ଦେଇଛି | ଯାହାର ଫଳସ୍ୱରୂପ ଆମେରିକାର କେଟସା ନୀତିର ଚାପରେ ଭାରତ ଇରାନ ନିକଟରୁ ତୈଳ ଆମଦାନୀ ବନ୍ଦ କରିଥିଲା | ଏହାର ପ୍ରତିବଦଳରେ ଇରାନ ଭାରତକୁ ଛାବାହାର ବନ୍ଦର ପ୍ରକଳ୍ପରୁ ବାଦ ଦେଇଥିଲା | ଏତଦ ବ୍ଯତୀତ ଇରାନ ସେନାର ଜେନରାଲ କ୍ୱାସିମ ସୁଲେମାନିକୁ ଆମେରିକା ଏୟାର ଷ୍ଟ୍ରାଇକ କରି ହତ୍ଯା କରିଥିଲା କିନ୍ତୁ ଏହି ଘଟଣା ଭାରତ ଚୁପ ରହିଥିଲା | ସେହିପରି ଗତ ବର୍ଷ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଓ ୩୫ (କ) ର ଉଚ୍ଛେଦକୁ ନେଇ ଇରାନ ତୀବ୍ର ଅସନ୍ତୋଷ ବ୍ଯକ୍ତ କରିଥିଲା |
ଭାରତ ଓ ଇରାନ ମଧ୍ଯରେ ସୃ୍ଷ୍ଟି ହୋଇଥିବା ଫାଟର ଫାଇଦା ଆମ ପଡ଼ୋଶୀ ଚୀନ ଓ ପାରମ୍ପରିକ ଶତ୍ରୁ ପାକିସ୍ତାନ ପାଉଛନ୍ତି | ଆମେରିକା ଦ୍ୱାରା ପ୍ରତିବନ୍ଧକ ଲାଗିବା ସତ୍ତ୍ୱେ ଚୀନ ଇରାନ ସହ ବାଣିଜ୍ଯକ ଚୁକ୍ତି ସ୍ୱାକ୍ଷର କରିଥିଲା | ଇରାନ ସହ ଚୀନ ଓ ପାକିସ୍ତାନର ଘନିଷ୍ଠତା ଭାରତ ପାଇଁ ଚିନ୍ତାଜନକ | ଏହା ବ୍ଯତୀତ ନିକଟରେ ଇରାନର ଆଣବିକ ବୈଜ୍ଞାନିକ ମୋହସିନ ଫକିରଜାଦେଙ୍କୁ ହତ୍ଯା କରାଯାଇଥିଲା | ଇରାନ ସରକାରଙ୍କ ମତରେ ଏହି ଅଘଟଣ ପଛରେ ଇଜରାଇଲ ଓ ଇରାନ ବିରୋଧୀ ଗୋଷ୍ଠୀଙ୍କ ହାତ ରହିଛି | ଆନ୍ତର୍ଜାତୀୟ ସ୍ତରରେ ଏହି ଘଟଣାକୁ ପ୍ରାୟ ସମସ୍ତ ଦେଶ ଦୃଢ ନିନ୍ଦା କରିଥିଲେ ସୁଦ୍ଧା ଭାରତ ଚୁପ ରହିଥିଲା | କେବଳ ଏତିକି ନୁହେଁ ଏହା ପୂର୍ବରୁ ଜମାଲ ଖଗୋସିଙ୍କ ହତ୍ଯାକାଣ୍ଡ ଘଟଣାରେ ମଧ୍ଯ ଭାରତ ଚୁପ ରହିଥିଲା | ଭାରତର ନିରବତା ଭାରତ ଓ ଇରାନ ସମ୍ପର୍କରେ ନକରାତ୍ମକ ପ୍ରଭାବ ପକାଉଛି |
ଭାରତର ପୂର୍ବତନ ବୈଦେଶିକ ସଚିବ ଶ୍ଯାମ ସୋରନଙ୍କ ମତରେ ଭାରତକୁ ଇରାନ ସହ ନିଜ ସମ୍ପର୍କକୁ ସକରାତ୍ମକ କରିବାର ଆବଶ୍ଯକ ରହିଛି | ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡ଼େନ ଇରାନ ସହ ପୁନର୍ବାର ସୁସମ୍ପର୍କ ସ୍ଥାପନ ଦିଗରେ ଅଗ୍ରସର | ଆଶା ବାଇଡ଼େନ ଗାଦି ସମ୍ଭାଳିବା ପରେ ପୁଣି ଆମେରିକା ଇରାନ ଆଣବିକ ଚୁକ୍ତିକୁ ଫେରିବ | ଯଦି ଏହା ସତ ହୁଏ ତେବେ ଭାରତ ଓ ଇରାନ ମଧ୍ଯରେ ପୁନଶ୍ଚ ନିବିଡ଼ତା ବୃଦ୍ଧି ହେବାର ଯଥେଷ୍ଟ ସମ୍ଭାବନା ରହିଛି | ଭାରତ ପାଇଁ ଛାବାହାର ବନ୍ଦର ଅତ୍ଯନ୍ତ ଗୁରୁତ୍ୱପୂର୍ଣ୍ଣ, ଇତି ମଧ୍ଯରେ ଉଜବେକିସ୍ଥାନ ଛାବାହାର ବନ୍ଦରରେ ବାଣିଜ୍ଯ କରିବା ପାଇଁ ପ୍ରସ୍ତାବ ଦେଇଛି | ଭାରତ ଆମେରିକାର ବାରଣ ଯୋଗୁଁ ଛାବାହାର ବନ୍ଦର ପ୍ରକଳ୍ପରେ ଆଗେଇ ପାରୁନଥିଲା କିନ୍ତୁ ଇରାନ ଆଣବିକ ଚୁକ୍ତି ପୁନଶ୍ଚ ସଂସ୍ଥାପନା ହେଲେ ଭାରତ ଛାବାହାର ପ୍ରକଳ୍ପର ଫାଇଦା ଉଠାଇପାରିବ | ଏହା ବ୍ଯତୀତ ଭାରତକୁ ସଭିଁଙ୍କ ସହ ଆଗକୁ ବଢିବାକୁ ହେବ, କାହାର ଇଙ୍ଗିତରେ କିମ୍ବା କାହାର ପ୍ରରୋଚନାରେ ନଆସି କେନ୍ଦ୍ର ସରକାର ମଧ୍ଯପ୍ରାଚ୍ଯ ଓ ପଶ୍ଚିମ ଏସିଆ ଦେଶଗୁଡିକ ସହ ଭାରତର ସମ୍ପର୍କକୁ ସୁଦୃଢ କରିବାର ଆବଶ୍ଯକତା ରହିଛି |
ମନୋଜ ସେନାପତି
୯୮୬୧୯୯୦୮୮୮