ପାକ୍ ସମାଜସେବୀ କରିମାଙ୍କ ମୃତଦେହ ଟରଣ୍ଟୋରୁ ଉଦ୍ଧାର
•ରବିବାର ଠାରୁ ନିଖୋଜ ଥିଲେ
•ହତ୍ୟାକାଣ୍ଡ ପଛରେ ପାକ୍ ର ହାତଥିବା ସନ୍ଦେହ
•ବେଲୁଚିସ୍ତାନ ପ୍ରସଙ୍ଗରେ ୨୦୧୬ରେ ମୋଦିଙ୍କ ଠାରୁ ଲୋଡ଼ିଥିଲେ ସହାୟତା
•ବେଲୁଚି ଛାତ୍ର ସଂଗଠନର ପ୍ରଥମ ମହିଳା ଅଧ୍ୟକ୍ଷା କରିମା
________________________
୨୨/୧୨,(ବ୍ୟୁରୋ ନ୍ୟୁଜ୍)
ସ୍ଵର ଦି ଭଏସ୍
________________________
ଟରଣ୍ଟୋ: ନିର୍ଯାତନା ସହି ନ ପାରି ପାକିସ୍ତାନ ଛାଡ଼ି ଗତ ୨୦୧୬ରୁ କାନାଡାରେ ଶରଣାର୍ଥୀ ଭାବେ ରହିଆସୁଥିବା ବେଲୁଚିସ୍ତାନର ସମାଜସେବୀ କରିମା ବେଲୋଚ୍ଙ୍କ ମୃତଦେହ ମିଳିଛି। ଟରଣ୍ଟୋର ଲେକସୋରଠାରେ ଏକ ଦ୍ୱୀପପୁଞ୍ଜରେ ତାଙ୍କ ମୃତଦେହ ଭାସୁଥିବା ବେଳେ ପୋଲିସ୍ ତାହାକୁ ଉଦ୍ଧାର କରିଥିବା ଜଣାପଡ଼ିଛି। ପୋଲିସ୍ ମୃତଦେହକୁ ଚିହ୍ନଟ କରିବା ପାଇଁ ତାଙ୍କ ସ୍ୱାମୀ ହମାଲ ହାଇଦର ଓ ଭାଇଙ୍କୁ ଡାକିଥିଲା। ସେମାନେ ମୃତଦେହଟି କରିମାଙ୍କର ବୋଲି କହିଛନ୍ତି। ଏବେ ପୋଲିସ୍ ଏ ବିଷୟରେ ଅଧିକ ଖୋଳତାଡ଼ ଆରମ୍ଭ କରିଛି। ତେବେ କରିମାଙ୍କ ହତ୍ୟାକାଣ୍ଡ ପଛରେ ପାକିସ୍ତାନର ହାତ ଥିବା ସନ୍ଦେହ କରାଯାଉଛି। ତେଣୁ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ସେହିପରି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଦେଶର ପାକିସ୍ତାନ ଆଇଏସଆଇ ଏଜେଣ୍ଟଙ୍କୁ ବିଦା କରିବାକୁ ବ୍ୟବସ୍ଥା କରିବାକୁ ମଧ୍ୟ କହିଛନ୍ତି। ସମାଜସେବୀ କରିମା ଏକଦା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ସହାୟତା ଲୋଡ଼ିଥିଲେ। ଗତ ୨୦୧୬ରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରକ୍ଷା ବନ୍ଧନର ଶୁଭେଚ୍ଛା ଜଣାଇବା ସହ ବେଲୁଚିସ୍ତାନରେ ନିର୍ଯାତିତ ହେଉଥିବା ଲୋକମାନଙ୍କ ଦୁଃଖ ଦୂର କରିବା ସକାଶେ ସହଯୋଗ କରିବାକୁ ନିବେଦନ କରିଥିଲେ।
ପାକିସ୍ତାନ ସେନା ଓ ସରକାରଙ୍କ ପକ୍ଷରୁ କରିମାଙ୍କ ଜୀବନ ପାଇଁ ବିପଦ ସୃଷ୍ଟି ହେବାରୁ ସେ ଗତ ୨୦୧୬ରେ ବେଲୁଚିସ୍ତାନରୁ କାନାଡାକୁ ଖସିଯିବା ସକାଶେ ଉଦ୍ୟମ କରିଥିଲେ। ଏଥିରେ ତାଙ୍କୁ ତାଙ୍କର କେତେକ ବନ୍ଧୁ ଓ ବେଲୁଚିସ୍ତାନର ଅଧିକାର ପାଇଁ କାମ କରୁଥିବା ସାମାଜିକ କର୍ମୀମାନେ ମଧ୍ୟ ସହଯୋଗ କରିଥିଲେ। ଫଳରେ କରିମା ୨୦୧୬ରୁ ଖସିଆସି କାନାଡ଼ାରେ ରହିଆସୁଥିଲେ। ତେବେ ସେ କାନାଡାରେ ରହି ପାକିସ୍ତାନ କବଳରୁ କେମିତି ବେଲୁଚିସ୍ତାନ ସ୍ୱାଧୀନତା ପାଇବ, ସେଥିପାଇଁ ଲଢ଼େଇ ଜାରି ରଖିଥିଲେ। କରିମା ବେଲୁଚି ଛାତ୍ର ସଂଗଠନର ଇତିହାସରେ ପ୍ରଥମ ମହିଳା ଭାବେ ଅଧ୍ୟକ୍ଷା ପଦର ଦାୟିତ୍ବ ତୁଲାଇଥିଲେ। ସେ ଅଧ୍ୟକ୍ଷା ହେବା ବେଳେ ପାକିସ୍ତାନରେ ନିର୍ଯାତନା ଚରମ ସୀମାରେ ପହଞ୍ଚିଯାଇଥିଲା। ତଥାପି ସେ ଏହା ବିରୋଧରେ ଲଢ଼େଇ କରିଥିଲେ। ଗତ ୨୦୧୬ରେ ବିବିସି ପକ୍ଷରୁ ତାଙ୍କୁ ବିଶ୍ବର ୧୦୦ ପ୍ରଭାବଶାଳୀ ଓ ପ୍ରେରଣାଦାୟୀ ମହିଳାଙ୍କ ସୂଚୀରେ ସାମିଲ୍ କରାଯାଇଥିଲା। କରିମା ଗତ ରବିବାର ଦିନ ନିଖୋଜ ହୋଇଯାଇଥିଲେ। ଉକ୍ତ ଦିନ ଅପରାହ୍ନ ୩ଟା ବେଳେ ତାଙ୍କୁ ଶେଷ ଥର ପାଇଁ ଦେଖାଯାଇଥିଲା। ତାଙ୍କୁ ଠାବ କରିବା ସକାଶେ ଟରଣ୍ଟୋ ପୋଲିସ୍ ଜନସାଧାରଣଙ୍କ ସହଯୋଗ ଲୋଡ଼ିଥିଲା। ତେବେ ସୋମବାର ତାଙ୍କ ପରିବାର ଲୋକେ କରିମାଙ୍କ ଶବ ମିଳିଥିବା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ କରିମା ସ୍ବିଜରଲାଣ୍ଡରେ ଅନୁଷ୍ଠିତ ଜାତିସଂଘ ଅଧିବେଶରେ ବେଲୁଚିସ୍ତାନ ପ୍ରସଙ୍ଗ ଉପସ୍ଥାପନ କରିଥିଲେ। ଏହାଛଡ଼ା ଗତ ମେ’ରେ ପାକିସ୍ତାନ ସରକାର ବେଲୁଚିସ୍ତାନ ବାସିନ୍ଦାଙ୍କ ଧନସମ୍ପତ୍ତି ହଡ଼ପ କରୁଥିବା ଅଭିଯୋଗ ମଧ୍ୟ କରିଥିଲେ।